ଏତେସବୁ ଏଠି
ଗଜାନନ ମିଶ୍ର
1
ଖାସ୍ ତୁମ ପାଇଁ
ଏତେସବୁ ଏଠି।
ଖାସ୍ ତୁମ ପାଇଁ
ମୁଁ ଚାଲିଛି ଶବ୍ଦକୁ ଶବ୍ଦ
ଯୋଡି ଯୋଡି ଆଉ
ମୁଁ ନିଜେଇ ଯାଇଛି ଜଡି।
ଖାସ୍ ତୁମ ପାଇଁ
ରଖିଛି ଧରି ଏ ପବନ
ଆଉ ଏ ପାଣିର ଘର।
ଖାସ୍ ତୁମ ପାଇଁ
ଚଢୁଛି ଉପରୁ ଉପର
ପୁଣି ଓହ୍ଲାଉଛି ତଳରୁ ତଳ।
2
ତୁମ ହାତ ପାଦ ନଖ ଲୋମ
ମନ ମସ୍ତିଷ୍କ ସବୁ ସବୁ
ଏକାଠି ମୋ ପାଇଁ ।
ଗଙ୍ଗା ଯମୁନା ସରସ୍ୱତୀ
ସବୁ ତୁମର, ସବୁ ତୁମେ।
ନୀତିନିୟମ ସବୁ ସବୁ
ଦେଇଛ କରି ମୋ ପାଇଁ ।
ପରିବେଶକୁ କରିଛ
ମଧୁମୟ ପକ୍ଷୀ ଫୁଲର
ସ୍ୱର ରଙ୍ଗ ଆଣି।
ତପୋବନରେ ରଖିଛ ମତେ
ଆଉ ମୁଁ ତୁମଠି ଲଗାଇ ମନ
ପରିବର୍ତ୍ତନ ସେଭଳି ହେଉଛି
ଦିନକୁ ଦିନ ସଦା ରଖି
ତୁମଠି ଧ୍ୟାନ ।
3
ତୁମେ ଆଉ ମୁଁ
ମୋ ଶବ୍ଦ ନିର୍ମାଣ
ଶବ୍ଦ ନିୟନ୍ତ୍ରଣ
କାର୍ଯ୍ୟକ୍ରମ ଜୀବନ
ସବୁ ସବୁ କରୁଛି
ସମର୍ପଣ ଚନ୍ଦ୍ରାୟଣ ।
ମୁଁ ମୋର ନୁହଁ,
ନା ତୁମେ ତୁମର ।
ମୋ ଶବ୍ଦ ସ୍ପଷ୍ଟ,
ଆଉ ମୁଁ ମୁକ୍ତ।
ବାସ୍ତବଚିତ୍ର ସବୁରେ
ବିଛାଡି ପଡୁଛି
ନୂଆ ସକାଳର ସୂର୍ଯ୍ୟାଲୋକ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
18/10/2019
This poem has not been translated into any other language yet.
I would like to translate this poem