1.
ଉଡୁଛି ନୀରବରେ ଚଢେଇ,
ଆକାଶ ହଲୁଛି ଯଦିଓ ଚାରିଆଡେ।
ଗହନ ଗୋପନ କଥା ସବୁ
ହେଉ ନି କହି କାହାକୁ।
ଅଣ୍ଟିରେ ବାନ୍ଧିରଖିବାକୂ
ପସନ୍ଦ ନାଇଁ କାହାର।
ଏ ହଟ୍, ପାରିବୁ ନି କହି
ମନରେ ଭାବୁଛୁ ଯାହା,
ତୁ ତୋର ନୁହଁ ସ୍ୱତନ୍ତ୍ର,
ନୁହଁ ସ୍ୱାଧୀନ।
ସୁଝିବି ବୋଲୁଛୁ କାହା ଋଣ?
ଏଇ ମଇ ଖରା ବହୁତ ଟାଣ,
ଯେତେ ଜିନ୍ଦାବାଦ ଧ୍ୱନି ଦେଲେ ବି
ଭିତରେ ଭିତରେ ଗୁମୁରି ଗୁମୁରି
କାନ୍ଦୁଛି ଚପଳ ମନ।
ପୁଣି ଆସୁଛି ଜହ୍ନ
ହେବାକୁ ଖତେଇ,
ହଜୁଛି ପକେଟର
ହୀରାମୋତି ।
ମୁଁ ବନ୍ଦୀ, ଯାଇଛି ଭୁଲି
ମୋ ନିଜ ଭାଷା, ନିଜ ସ୍ୱର,
ଆଉ ମୋ ରାଜା ନିଶାରେ ବିଭୋର,
ଖୁସିରେ ମସଗୁଲ
ଅସହାୟତା ଦେଖି ମୋର।
ମୋ ଚାରିଆଡେ
ନାଚିବାରେ ବ୍ୟସ୍ତ
ଖତେଇ ହୋଇ ହୋଇ ମତେ
ସାତସୁର, ସାତ ସାଗର।
ବନସ୍ପତି ନାଇଁ,
ଦେହ ମୋର କାଠ।
ଅଚାନକ ଶୁଖାଭଟାରୁ
ବିଜୁଳି ଚଡକ।
ଥିଲା କି ଆଶା ଏଇଟା?
ଛନ୍ଦି ହେଲା ସ୍ୱପ୍ନ ସବୁ
ନିଶୂନ ଇଲାକାରେ,
ମରିଗଲା ମନ,
ଭୁଲିଲା ଦେଣାପାଉଣା,
ପାଇଲା ନି ଚଢେଇ ଆଉ
ଦିଗନ୍ତର ସୀମା।
ଧମକାଣ, ଡରାଣରେ
ସଙ୍କରିଗଲା ଆକାଶ,
ହାୟ ମୋର ଟିକି ଚଢେଇ,
ପାରୁ ନି କହି,
ଥକା ମାର ସେଠି,
କୁଟାକାଠି ଆଡେଇ,
ଯାଇ ସେପଟକୁ
ଥିରିକିନା ବସ,
ଆରାମରେ ନେ ଟିକେ
ନିଶ୍ୱାସପ୍ରଶ୍ୱାସ ।
2.
ଶୋଇଛି ପାହାଡ,
ଆଉ ଥରେ ଥରେ
ଉଠୁଛି ଯେବେ,
ଥରହର ହେଉଛି ପୃଥିବୀ ।
ଏଇଟା ମୋ ପୃଥିବୀ,
ମୋ ଧରିତ୍ରୀ।
ସକାଳର ତାରା ଆସି
ମାରୁଛି ମୁଣ୍ଡିଆ।
ଝରଣା ଶୁଣାଉଛି ଗୀତ।
ପ୍ରେମ ଶିଖାଉଛି ପକ୍ଷୀ,
ଫୁଲର ଗହଣକୁ ଆସି।
କିଏ କାହାକୁ କଣ ଦେଲା,
କିଏ କାହାକୁ କଣ କହିଲା,
ପଡୁ ନି ଫରକ ପାହାଡକୁ।
ପାହାଡ ଶୋଇଛି,
ଆଉ ଶୋଇ ଶୋଇ
ଦେଖୁଛି ସ୍ୱପ୍ନ,
ସ୍ୱପ୍ନରେ ଘୋଡା ନାଚ,
ସ୍ୱପ୍ନରେ ବିଶ୍ୱାସର ଚକଚାକ୍ ମନ୍ଦିର,
ସ୍ୱପ୍ନରେ କାନ୍ଦ ଆଉ ହସ,
ସ୍ୱପ୍ନରେ ସୂର୍ଯ୍ୟଚନ୍ଦ୍ର ରାସ।
ସ୍ୱପ୍ନରେ ସମୁଦ୍ରକୂଳ
ମନୋମୁଗ୍ଧକର।
ସ୍ୱପ୍ନକୁ ଧରି ଯାତ୍ରା ଆମର,
ସତ୍ୟ ପାଖକୁ, ପ୍ରେମ ପାଖକୁ।
ସମୟ ରହିଛି ଢେର ଦୂରରେ
ସୂର୍ଯ୍ୟାସ୍ତଠାରୁ।
ଅନେଇ ରହିଛି ଆକାଶ
ଶୂନ୍ୟପୁରୁଷ ସ୍ୱର୍ଗ ସମ୍ଭୋଗରେ
ଗୋଲାପ ଫୁଲ ଧରି।
ଏଇଠି ପାହାଡଠି
ଆମେ ଆମର ଅତୀତ
ଆମେ ଆମର ବର୍ତମାନ
ଆମେ ଆମର ରାତି ଆଉ ଦିନ।
This poem has not been translated into any other language yet.
I would like to translate this poem