କବିତା ସଂପର୍କ
ଗଜାନନ ମିଶ୍ର
କୋଉ ସଂପର୍କ ନାଇଁ
କେମିତି ବୁଝେଇଦେବା?
ଏତିକିବେଳେ ଧଡଧାଡ
ଉଠେ କବିତା ।
ପାରେ ନି କହି ସଠିକ କାରଣ
ଆଉ ପାରେ ନି କହି
ଧାଁ ଦୌଡର ମାନେ।
କବିତା ଧପଡି ଆସେ
କେତେବେଳେ କାହା କଥାରୁ
ଶ୍ୱଶୁର ଶଳା ଶାଶୁ
ପୁଅ ଝିଅ ସ୍ତ୍ରୀ
ସାଇ ପଡିଶା
ସମୁଦି ସମୁଦୁଣୀ
ଝିଅ ଜ୍ୱାଇଁ ବନ୍ଧୁ ଆଉ ଆଉ
ଆସେ ଉବୁକା ଖାଇ
କାହା କାହା ଭିତରୁ ହିଁ।
ନାଲାଏକ କାହାଁକା
ସହଜ ଭାବି ନେଉଛି କବିତା!
ଆରେ, ୟାର ହାତ ଗୋଡ ପେଟ ପିଠି
ଆଖି କାନ ନାକ ଖୋଲା ସବୁ
ଆକାଶ ଆଡିକି।
ଚୋବେଇ ଖାଇଯାଏ ସବୁକିଛି
ଗୋଟା ବି ଆଉ ଛେଚାଛେଚି କରି ବି।
ଯେତେ କହିଲେ ବି
ଅଟକି ଯାଏ କି କୋଉଠି,
ବରଂ ଆହୁରି ତୀବ୍ର କରେ ଗତି
ଆହୁରି ଟାଣୁଆ ହୋଇ ବାହାରେ
ଶତଶତ ସିଂହର ବଳରେ
ଭିତର ଘରୁ,ତୁଚ୍ଛାଟାରେ
ବାଇବିଛୋ ହେବାର ନ ଥାଏ ଅର୍ଥ।
ଆମ୍ୱଟାକୁଆ ପୋତିଦେଲେ
ଆମ୍ୱଗଛ ହୋଇଯିବ
ଏମିତି ନାଇଁ ସବୁବେଳେ।
ନ ହେଲେ ଆପତ୍ତିଅଭିଯୋଗରେ
ପୋତି ହୋଇଯିବ
ନାଇଁ ଏମିତି ବି।
ମୁଁ କବି, ଶବ୍ଦ ଆଉ ଭାବନାକୁ ତଉଲି
ପୁଣି ସଠିକ ତଥ୍ୟ ଧରି
ଯାଏଁ ପହଂଚି ସତ୍ୟ ପାଖକୁ।
ସତ୍ୟ ଥାଏ ସଂପର୍କର ନାହିନାଡରେ
ଗୁନ୍ଥା ହୋଇ ଠିକ କବିତା ପରି।
କବିତା ଉପରେ କି କବି ଉପରେ
ରାଗ ଝଡେଇ କିଛି ନାଇଁ ଲାଭ।
ବରଂ କହିପାର ସର୍ବ ଶୁଭ
କବିତା ଭବ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/6/2019
This poem has not been translated into any other language yet.
I would like to translate this poem