ସଙ୍କେତ Sanketa (Sign) Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସଙ୍କେତ Sanketa (Sign)

Rating: 5.0

ସଙ୍କେତ (ଗୀତ ଗୋବିନ୍ଦ)

1. ମାୟା

କଣ ଏଇଟା?

ମେଘ ଅନ୍ଧାର ଆକାଶସାରା,
ବଣ ଜଙ୍ଗଲ ପାହାଡ ପଡିଆ,
ସବୁକୁ ଢ଼ାଙ୍କି ଦେଉଛି ନିଶା,
ଯମୁନାକୂଳେ ଲତାକୁଂଜେ
ବିବିଧ ବନ୍ଧେ ରାସକ୍ରୀଡା ।

କିଏ ରାଧା? କେମିତି ଧାରା?
ଘରୁ ବାହାରି ଘରକୁ ଯିବାର ଏ ଅପୂର୍ବ
ରତିରସ ପରା!

ଏକ ଆରେକ ଚିତ୍ତବନ୍ଦୀ ଏଠି ।
କବିତା ସୁଧାରେ ମିଳୁଛି ଶକ୍ତି,
ଶରଣ କହିଦେଇ କଠିନ ଦୁର୍ବୋଧ୍ୟ ଆଡକୁ
ପାଦ ବଢୁଥାଇ ।

ଅଛି କି ବଚନ ଶୁଦ୍ଧି
କହିବି ମନବୋଧି,
ଥାଅ ସୁଜନେ ମୋରି ପାଖରେ
ଆଗକୁ ଆଗକୁ ଫିଟିବ ଆହୁରି
ଏ କୁଜ୍ ଝଟିକା
ଭବ ଘୋର ସଂସାରରେ ।


2.ରୂପକେତେ?

ଭକ୍ତି ଅନୁଯାୟୀ
ଭାବୁଛି ଯିଏ ଯେତେ ।

ଦଶଦିଗ ଦଶଦ୍ଵାର
ସାଂସାରିକମତେ ଦଶରୂପ
ଦିଶୁଛି ଯାହାକୁ ଯେତେ ।

ମୀନ ହେଉ କି କଚ୍ଛପ,
ଶୁକର କି ନୃସିଂହ,
ବାମନ କି ପର୍ଶୁଧର,
ରାମ କି ବଳରାମ,
ବୁଦ୍ଧ ହେଉ କି କଳ୍ କୀ
ସବୁ ତ ଉଶ୍ଵାସିବାକୁ କ୍ଷିତି ।

କବି ହେ
ପକ୍ଷୀରାଜ ବାହନ ତୁମର,
ପୂର୍ଣ ତୁମେ ସବୁଠି ।

ନୂଆ ନୂଆ ଶରୀରରେ
ଯାଅ କରି ନୂଆ ନୂଆ କାମ,
ସଭିଙ୍କୁ ଆଲୋକିତ କରିବା ତୁମ ଧର୍ମ,
ତୁମ ଧ୍ୟାନ ।

ତୁମ ଅନୁପସ୍ଥିତି ସାଧୁଙ୍କ ଦୁର୍ଦ୍ଦିନ ।

3. ଋତୁରାଜ

ଉପସ୍ଥିତ ଘୋଷଣାମାତ୍ରେ
ଜାଇଯୁଈ ମଲ୍ଲୀ ହେନା ଟଗର
ଚାଲବୁଲ କଲେ ଗେଲରେ ।

ବାଟରେ ଘାଟରେ ବଣରେ
ଆକୁଳ ମନରେ ଜଳିଲା ନିଆଁ ଦେହରେ,
ଶୀତଳ ମଳୟ ବହିଲା,
ଭ୍ରମର ବୁଲିଲା ଗୁଣୁଗୁଣୁ ଗୀତ ଗାଇ,
କୁହୁ କୁହୁ କଲା କୋକିଳ ।

ଏତେବେଳେ ପୁଣି ବିରହ କୋଉଠି?

ଲଜ୍ଜା ଛାଡି ଠିଆ ହେଲା ବେଳଠୁ
କେତକୀ ମାଳତୀ ଆଲିଙ୍ଗନରେ
ଭିଡାଭିଡି ହେଲେ ପାଶୋରି ଦେଇ
କରିବାର ଥିଲା କଣ ବୃନ୍ଦାବନରେ ।

ଯମୁନା କଣ ଅଟକିଲା?
ଉନ୍ମତ୍ତ ସଭିଏଁ ।
ଦହିହେଲା କି କଣ ଲୋମମୂଳ
ଚୁମ୍ବନର ଆଦାନପ୍ରଦାନରେ ।

ଚାଲିଲା ରାସ ନାନାଦି ଭାବରେ,
ହସନାଚରସ୍ଵଚ୍ଛନ୍ଦ ପ୍ରବାହରେ
ପଚାରିବାକୁ ରହିଲା କେତେ ମୂର୍ତ୍ତ ଏ ଶୃଙ୍ଗାର!
ରହିଛି କି ରହସ୍ୟ ଭିତରେ ପୁଲକିତ
ବେଳୁବେଳ ଏ ଦେହ ।

ରୁହ, ଅପେକ୍ଷାକର, ମଧୁପ
ଶେଷ ହେବା ଯାଏ ଏ ଲୀଳା ମୋର ।

4. କ୍ରୀଡା

ତୁମ ବିନା କଣ ଏ ରାସ ସମ୍ଭବ?

ସାବଧାନ, ବଢୁଛି ଅନୁରାଗ,
ସୁମରୁଛି କ୍ରୀଡାରସ ମନ ।
ପଡୁଛି ଝରି ଅଧରରୁ ବେଣୁସ୍ଵନ,
ଏ ସମୟ ନିତ୍ୟ ନୂତନ,
ଅତି ଶୋଭନ, ସଦା ପ୍ରସନ୍ନ ।
ଏ ଜ୍ୟୋତି ପୁଲକିତ କରୁଛି ତନୁମନ,
କୁଂଜ ସଦନ, ଘନ କୁଚ ଭାର ମର୍ଦ୍ଦନ ।

ସାବଧାନ, କିଏ ସେଠି,
ସୁରଅସୁର ମୁନିଜନ,
ଶ୍ଵେତ କଦମ୍ଵ ଜନାର୍ଦ୍ଦନ ।
ଦେଖିବାକୁ, ନିରେଖିବାକୁ ଗମୁଛି ମୁଁ
ବିଫଳତା ଭିତରେ ନ ହୋଇ ଶୂନ୍ୟ ।

ଆସ, କରିବାକୁ ପୂର୍ଣ କାମ
ଏ ଅନ୍ଧାରରେ, ବଣରେ
ହାସରେ ପରିହାସରେ ଲଜ୍ଜାରେ,
ଖୋଲି ଖୋଲି ଯାଉଥିଲାବେଳେ ବସ୍ତ୍ର
ମୋ ପତର ଦେହର ଶଯ୍ୟାରେ ।

ଆଲିଙ୍ଗନ ଚୁମ୍ବନ ପାଇଁ ଉତ୍ସୁକ ଏ ମନ
ଅଧରରୁ ଅମୀୟ କରିବାକୁ ପାନ
ଚଳଚଂଚଳ ମତ୍ତମଦନ
ଏ ଶରୀରରେ ଶ୍ରମଝାଳ
ପୁଲକିତ ଘନ କପୋଳ ତଳ
ଫିଟା କବରୀ, ଶଯ୍ୟାରେ କୁସୁମ ଏ ମନ,
ତୁମ ବିନୁ ଅନଳ ସମାନ ।

5. ବିଚ୍ଛେଦ

କାଳେ ତୁମର ମୋ ଠାରେ ନାହିଁ ଭାବ
ଦାହୁଡି ଆସ, ଅପ୍ରୀତି ଠିଆ ଏଠି
ତୁମ ଚଂଚଳ ଚିତ୍ତ
ଠଉର କରି ନ ପାରି ମନ, ନୟନ
ଗୃହସ୍ଥାନ ସବୁ ଭୁଲି ରହିଛି
ନିଷ୍ଠୁର ମୁଁ ମୋ ଠାରେ ।

ଧନେ ଜନେ ସଦନେ ନାହିଁ କିଛି ସୁଖ,
ବଢୁଛି ଚିନ୍ତା ଦିନୁଦିନ, କ୍ରୋଧରେ ଲାଲ ବଦନ ।
ଭ୍ରମର ବସି ନ ପାରି ଡହକବିକଳ ପାଉଛି କଷଣ ।

ନିଜକୁ ନିଜଠୁ ଅନ୍ତର ନାହିଁ
କ୍ଷଣେମାତ୍ର ବିଅର୍ଥ ବିଳାପ
ଚାଲିଗଲାବେଳେ ପାଖରୁ ପରଖି କଠୋର ଭାବ ।
ପୂର୍ବକଥା ଭୁଲି ହୋଇ ନି ଏ ଯାଏ,
କାମଶରର ଯନ୍ତ୍ରଣା ରହସ୍ୟ ଭେଦୁଛି ଲୋକନିନ୍ଦାରେ ।

ଅନୁନୟ ବିନୟ ସବୁ ବୃଥା
ଏ ଉତ୍ତାଳ ନଦୀ ନେଉଛି ଭସାଇ ଦେଖୁ ଦେଖୁ
ଗଭୀର ଗଣ୍ଡକୁ ଯୋଉଠି ଅହର୍ନିଶି ଚାଲିଛି ପାଲା
ପୂର୍ବାପର ସବୁ ହର୍ଷବିଷାଦର ପରମ ସୁଖ ମୁହୂର୍ତରେ.

6. ଚିନ୍ତା

ବିରହ ବିଷାଦ ବିମର୍ଷରେ
ମୁଁ ଅଧୈର୍ଯ୍ୟ, ମଳୟ ପବନ ମତେ
ଗରଳ ଜ୍ଵାଳାରେ କରୁଛି ଦାହ ।

ଏ ଦେହ କାଳସର୍ପ ଘର
ଯାହାର ବିଷରେ ମୁଁ ଜର୍ଜରିତ,
ମର୍ମସ୍ଥାନ ବିଦିରିଛି ମୋର ଆଉ
ଏ ହୃଦ କରିଛି ଦୃଢ ବ୍ରତ
ପାଇବ ବୋଲି ତୁମଠୁ
ଆଲିଙ୍ଗନ ସୁଖ ମନବାଂଛିତ ।

ଫୁଲ ଶଯ୍ୟା ଶୁଖିଲା ଦେଖୁ ନ
ଆଖିରୁ ଗଡୁଛି ଜଳ ଅନବରତ
କିଏ ନେବ ମତେ ତୁମଠିକୁ ତୁମବିନୁ
କାହାର ଶରଣ ଯିବି ଏ ଚିନ୍ତା ତଡିବାକୁ
ଘର ଲାଗିବ ନି ଅରଣ୍ୟ
ଓଜନିଆ ଭାରି ଏ ନିଶ୍ଵାସ ପବନ
ମୁଁ ହୋଇ ହୋଇ ଚାଲିଛି
ଆପଣାଆପେ ଶୂନ୍ୟରୁ ଶୂନ୍ୟ ।

ଏ ଜପ ଧ୍ୟାନ ମୋର ସକାମ
ସକାଳ ସନ୍ଧ୍ୟାର ସୁଫଳ ପାଇଁ
ନିଷ୍କାମ କର ହେ ଦାରୁଣ ।
ତୁମ ଅଙ୍ଗସଙ୍ଗ ପାଇ
ଯାଉ ମୋଠୁ ଏ କାମ ।

ମୋ ଚିତ୍ତରେ ମନରେ ନାହିଁ ସଂଭ୍ରମ
ସଦାସର୍ବଦା ତୁମ କ୍ରୀଡାରସି ମୋ ମନ ।
ମୋ ଆକୁଳ ପ୍ରାଣ
ତୁମ ସ୍ପର୍ଶରେ ନ ହେଉ ଗହନ ।


7. ସଙ୍କେତ

ମରଣ ଆସୁ ନି କିଆଁ ଏତେବେଳେ ପାଖକୁ,
କାନ ନ ଶୁଣୁଛି ଯେତେବେଳେ
ମଧୁର ପ୍ରିୟ ବାଣୀ ତୁମର, ଆଖି ନ ଦେଖୁଛି
ଯେତେବେଳେ ଅନୁପମ ଦୃଶ୍ୟ ସମୂହ ।

ରାତି ଆଉ ଦିନର କିଆଁ ସହଯୋଗ ପଡୁ ନି
ଉଭୟଙ୍କର ସମତାଳପରି ସିଦ୍ଧମନ୍ତ୍ରର,
କିଆଁ ଯମୁନାର ଉଭୟ ତଟ ପବନର ଧୀର ଚାଲିରେ
ହୋଇ ନି ଏକ, କିଆଁ ସଂସାରର ସାର ପଦାର୍ଥ
ହେଉଛି ଦୁର୍ଲଭ ।

ଏ ସଙ୍କେତ ପୁଣି ଆସୁଛି ଉଡି ପବନରେ
ଆଉ ବାଜୁଛି ଏ ଦେହରେ ।
ପ୍ରତିଟି ଧୂଳିକଣା ଉଠୁଛି ଶିହରୀ ପତ୍ରରେ ପତ୍ରରେ ।
ଆଉ ଭୟ ନାହିଁ ମନରେ, ତୁମେ ଆସି ସାରିଛ
ଘାସର ଶେଯରେ, ଅପେକ୍ଷା କରିଛି ମତେ
କେତେବେଳେ ଚଳଚଂଚଳ କରିବ ତୁମ
ନୂପୁରର ଶବ୍ଦ ଆଉ ବିପରୀତ ଗତିରେ
ତୁମେ ପହଂଚିବ ଆସି ମୋର ଅଭ୍ୟନ୍ତର ।

ତୁମେ ଆସିଲେ ଆସିବ ଅଶେଷ ପୁଣ୍ୟ
ଆଉ ବିହ୍ବଳ ହୋଇ ବହିବ ନିଶ୍ଵାସପ୍ରଶ୍ଵାସ
କହିବ ପୂର୍ଣ ହେଲା ସବୁ କାମନାବାସନା
ଏ କୁଂଜବନରେ, ନିବିଡ ଅନ୍ଧାର ଫାଟିବ
ସଙ୍କେତ ପାଇଲାମାତ୍ରେ, ସାତ୍ଵିକ ବିକାରର
ବୁଦ୍ଧିବଳ ସବୁ କୃତାର୍ଥ ହେବେ ଆଉ ସୁଧା
ପାଉ ପାଉ ଯାଉଥିବେ ଯେବେ ତରୁ ତଳେ ତଳେ ।


8. ବିକାର

ଅଶକ୍ତ ଏ ଦେହ କେମିତି ଯିବ?
ତୁମେ ନ ଆସିବାରୁ ଜନ୍ମିଛି ମନର ବିକାର ।

ଆଶାରେ ରହିଛି କେବଳ ଶ୍ରେଷ୍ଠତା ପାଇଁ
ଆକାଶକୁ ଚୁମ୍ଵ ଦେଇ ଭୋଳରେ ।
ଯେତେ ଯେତେ ହେଉଛି ବିଳମ୍ବ
ଲଜ୍ଜା ଛାଡି ଧାଉଁଛି ମୁଁ ଏଣେତେଣେ ବାତୁଳ ପ୍ରାୟେ,
ନିର୍ବସନ ବ୍ୟାକୁଳଧ୍ୟାନରେ ରଖିଛି ତୁମକୁ
ଆଉ ଧାଉଁଛି କେନ୍ଦ୍ର ଆଡକୁ ପବନର ସାଥୀରେ ।

ପବନ ସାଥୀରେ ପତ୍ର ବି ଯାଉଛି କାହିଁ କୁଆଡେ
କଳ୍ପନାର ସ୍ରୋତରେ, ସ୍ରୋତର ମଝିରେ
କାଳେ ଭେଟ ହେବ ଏଠାରେ,
ରାତିସାରା ଉଜାଗର ମୁଁ ହୃଦୟକୁ ଦେଇ ତୁମକୁ ।

ଆଉ କାହାକୁ ଧରି କେମିତି
ସ୍ଥିର ରହିଥାନ୍ତି କେଉଁଠାରେ ।

9. ବଢି

ମୁକାବିଲା ଭାରି କଷ୍ଟ
ବଢି ନଈର ଘୋର ଅରଣ୍ୟରେ
ତିଥି ଖୋଜୁ ଖୋଜୁ ନିଜେ
ହେଉଛି ଦହି ଯେ
ନିଜର ବିଳାପରେ
ଯାହା ମିଳାଇ ଯାଉଛି ଆକାଶରେ
ଆଉ ସାଙ୍ଗରେ ଯାଉଛି ସବୁ ଆୟ ଆଡମ୍ଵର
ଯୋଗାଡ ଯନ୍ତ୍ର ବିଫଳ ବିଅର୍ଥ
ଗହନ ଗୋପନ ତିମିରରେ ।

ପାଇ ହୁଏ ନା ଯାହାକୁ
ଖୋଜୁଥାଏ ଏ ମନ ତାହାକୁ,
ସୁଖ ମିଳିବ ହୁଏ ତ ଗଲେ ଏ ଜୀବନ ।
ଏ ରତ୍ନ ଭୂଷଣ ସବୁ ନିଆଁ ହୋଇ
ପୋଡିବାରେ ବ୍ୟସ୍ତ ମତେ,
ମୋର ଏତେ ଏତେ କାହାର କି ସତେ!

ଥୟ ନୁହେଁ ମୋ ଚିତ୍ତ ଏଠାରେ,
ବାଟବଣା ଚାଲି ଯାଉ ନି ତ ଆଉ କେଉଁଆଡେ
ନା ଚାଲି ନ ପାରି ଯାଉଛି ରହି
ଥ ବିଷାଦରେ ।

କାହିଁକି ଏ ବିଷାଦ
ପାଖ ପାଖ ଆସିଲାବେଳେ ହସ ହସ
ଯାହା ଆଲିଙ୍ଗନକୁ ବ୍ୟଗ୍ର
ସେ ଯାଇ ଆଉ କାହାର ।

ଏ ଶରୀର ଅବଶ
ଯାଉଛି ଛାଡି ନିଶ୍ଵାସପ୍ରଶ୍ଵାସ।
କିଏ ଅଛି ବଇଦ
ନାଡି ଦେଖି ଦେବ ଔଷଧ,
କରିବ ଆରୋଗ୍ୟ ଶୁଂଘାଇ ଗଦ ।

10.ତନ୍ମୟ

ଲତା ଭ୍ରାନ୍ତିରେ ମୁଁ ତନ୍ମୟ ଠିଆ ।
କାହାର ବିଜୟରେ ଏକୁଟିଆ!
କିଏ ସେ ଆସି ରମିଗଲେ
ତାରା ମଣ୍ଡଳରେ ବାହୁ ପ୍ରସାରି ଦେଲାମାତ୍ରେ ।

ଏ ପାଦ ଗଲାବେଳେ ହର୍ଷରେ
ନାନାଦି ରଙ୍ଗ ଧରି
ବିଫଳ କି ସଫଳ ହିସାବ ନ କରି ।
ହେ ମଧୁହାରୀ
ମୋର ହୃଦ ଭଗତି ନିଅ ଏତିକି,
ଏ ରସ ଜଳଧି ଲଭ ଏଠି ।

ଆଉ ମୋର କି ଖେଦ
ସବୁ ସବୁ ଶରୀର ତ ମୋର,
ଯୋଉ ଶରୀରରେ ଖେଳ ରଚ ।
ବିରହର ବାଧା ନାହିଁ କିଛି ବି,
ତୁମେ ସ୍ଥିତ ମଧ୍ୟସ୍ଥଳରେ ସବୁରି ।

ପ୍ରସନ୍ନ ଥାଅ ହେ ନଗ୍ର ଲୋକ
ଆଉ ଆଣିଦିଅ ମୋରି ପାଖକୁ
ସବୁ ସବୁ କ୍ଷଣ ମାତ୍ରକେ ଇଚ୍ଛାମୁତାବକ ।

କେହି କିଛି ନ କହ, କାଳେ ବିରକ୍ତିରେ
ଦିଗ ବଦଳାଇ ଚାଲିଯିବେ ଅନ୍ୟଆଡେ ।
ଆଉ ମୁଁ ରହିଯିବି ଶୀତଳ ହୋଇ ନ ପାରି
ଏ ଠିଆ ଗ୍ରୀଷ୍ମରେ ।

11.କୋପ

ଯାଅ, ଚାଲିଯାଅ ପାଖରୁ ।
ଗତକାଲି କୋଳ କରି
ଚୁମ୍ଵନ ଦେଇଛ ଯାହାକୁ,
ଯାଅ,
ଚାଲିଯାଅ ତା ପାଖକୁ ।

ଯାଅ ମୋ ପାଖରୁ
ଯାଅ ତା ପାଖକୁ
କେଳି ଯିଏ କରିଛି ସକାଳେ
ଆଉ ବିଭୋର ହୋଇଛ ଯାହାରେ
ସୁରତିର ବିବିଧ କଳାରେ,
ଯାଅ, ନ ରହ ମୋ ପାଖରେ ।

ଚାଟୁକରି ଯେତେ କହିଲେ ବି,
ବାରି ହେଉଛି ଭିତର ବାହାର ଅଲଗା ।
ଧୂର୍ତପଣରେ ସ୍ପଷ୍ଟ ଦିଶୁଛି
ତୁମର ବିଶୁଦ୍ଧତା ।
ଯାଅ, ଆଉ କିଛି କର ନାହିଁ ଏଠି ।
ସେଇ ବାବନା ଭୁତୁଣୀ
ତୁମ ପାଇଁ ମରୁଛି ସେଠି ।

ଯାଅ, ଏଠିକି ଆସି ମତ
ଭୁଆ ବୁଲାଅ ନା ଆଉ ।
ଏ ଘୋର ଅରଣ୍ୟରେ
ସ୍ନେହ ଶ୍ରଦ୍ଧା ଥାଉ ସେଠାରେ ।

12. ବୋଧ

ବୃଥା କଳହରେ ମାତି
ଆଖିରୁ ପାଣି ବୁହାଇବାରେ
କିଛି ମାନେ ନାହିଁ ।
ମଧୁର କଥା କହି
ବସନ୍ତର ମଳୟାନୀଳକୁ
ସ୍ଵାଗତ କର ବେଳ ଥାଉ ଥାଉ ।

ଛାଡ ନାହିଁ କେବେ ବି
ଛାଡିଲେ ହସିବେ ସହଚରୀ,
ସଜଳ ନଳିନୀ ଦଳ
ଶୀତଳ ସୁସଂଜ ଶଯ୍ୟାରେ
ପାଇବେ ତୃପ୍ତି ।

କିଛି ଭେଦ ନ ରଖି
ଚିତ୍ତକୁ ହରସରେ
କଟାଅ ଦିବାନିଶି ।
ଶୋଭା ପ୍ରକାଶ ପାଇବ
ଦେଖିବ ସିଏ ଇ ଦେବ
ଦୁଃଖଦେଲେ ଚନ୍ଦନ ହେବ ବିଷ ।

ପବନ ହିମ ହେବ
ବିପରୀତ ହେବ ଦୃଶ୍ୟ ।
ନିଜ ପ୍ରଶ୍ନ ନିଜକୁ କୋରି ଖାଇବ
ସମ୍ଭାଳି ନିଅ ପ୍ରାଣର ଇଶ୍ଵର ।


13. ଚାଟୁ

ଆସ ପାଖକୁ
ତୁମେ ଆସିଲେ ଅନ୍ଧାର ଯିବ ଏଠୁ ।
ଯଦି ଚାହଁ ବାନ୍ଧିପାର ମତେ ତୁମ ଭୁଜରେ,
ଖଣ୍ଡ ଖଣ୍ଡ କରିପାର ମୋର ଏ କଳେବର,
ଆଉ ଦେଇପାର ଯେମିତି ଯୋଉ ଦଣ୍ଡ
ତୁମ ଇଚ୍ଛା ମୁତାବକ ।
ତୁମେ ମୋର ଭବସିନ୍ଧୁ ରତ୍ନ, ଜୀବନ ଭୁଷଣ ।

ତୁମ ହାର ଖେଳୁଛି ଦେଖ କୁଚ ଉପରେ,
କଟିଘଣ୍ଟି ଆଦେଶ ମାନୁଛି ମନ୍ମଥର ।
ଦେଖାଇଦିଅ ତୁମ ଚରଣ
ଅଳତା ହୋଇ ଲମ୍ଵିଯାଏଁ ମୁଁ,
ତୁମ ଚରଣ ପୁଣି ରଖିଦିଅ ମୋ ଶିରରେ,
ବଳି ପାତାଳକୁ ଗଲାପରି ମୋ ଅଙ୍ଗର
କାମାନଳ ଶୀତଳ ହେବ ସେଥିରେ ।

ଏ ସଂକଟ କାଳରେ ଦିଅ ମତେ ଗାଢ ଆଲିଙ୍ଗନ,
ତୁମ ସାଥୀରେ ପ୍ରବେଶିବି ରମ୍ୟ କାନନ ।
ଦନ୍ତକ୍ଷତ, କଠିନ ସ୍ତନର ଆଘାତ ଦେଇ
କାମ ଚଣ୍ଡାଳ ହାତୁ ମତେ ରଖ,
ବିଅର୍ଥେ ମୌନ ରହି ଦିଅ ନା କଷ୍ଟ ।
ଚିତ୍ତକୁ କରି ପ୍ରସନ୍ନ କୋକିଳବାଣୀରେ କର ମୁଗ୍ଧ,
କାଳ ସର୍ପୀ ହୋଇ ନାଶ କର କାମର ଆତଙ୍କ ।


14. ପ୍ରବର୍ତ୍ତା

ଯାଅ, ଅଭିସାର କର ।

ଅପେକ୍ଷାରେ ଅଶୋକ ବନ ଲତା କେଳି ସ୍ଥାନ,
ରୁଣୁଝୁଣୁ ଗମନ ମତ୍ତମରାଳ,
ପିକର ସ୍ଵର ମଧୁର, ଧ୍ୟାନରେ ଉଲ୍ଲସିତ କୁଚ ଯୁଗଳ ।

ପାଛୋଟି ନେବେ ବାଟରୁ, ଯାଅ,
ଅଂଜନ ରେଖା ରଂଜି ନୟନରେ,
କର୍ଣନୀଳ ତମାଳ ଅବତଂସ ଖଂଜି, ଯାଅ,
ମସ୍ତକରେ ନୀଳୋତ୍ପଳ ପୁଷ୍ପମାଳା ରଚି ଯାଅ,
ଦେହରେ ଦିଅ କସ୍ତୁରୀ ରେଖା
ଅଭିସାରି ଚତୁରୀ ପରି
ଅଶୀତି ନିଚୋଳେ ତନୁ ଆଚ୍ଛାଦି ଯାଅ,
ଗଲାବେଳେ ରଖ ପାଖରେ ସାତ୍ତ୍ଵିକ ହୃଦୟ,
ଯାଅ, ମୁକ୍ତ ସଦନ ଦ୍ଵାର ।

ଏ ସଦନରେ ବହୁଛି ସଦା ସୁଗନ୍ଧ ମଳୟ ମରୁତ,
ରତି ରଙ୍ଗ କର, ସନ୍ତୋଷ ମିଳୁ ସଭିଙ୍କୁ ପ୍ରକାର ପ୍ରକାର ।

ପୁଷ୍ପ ମକରନ୍ଦ କରୁ ପ୍ରମୋଦିତ,
ଯାଅ, ଅଭିସାର କର ।

ଯାଅ, ସୁଧାପାନ କର, ବିମ୍ବାଧର, କୋପ ତେଜି
ସାନନ୍ଦେ ଯାଅ, ଏ ଶଯ୍ୟା ତ ତୁମର ।

15. ଦୁଃଖଦୂର

ଦୁଃଖ ଦୂର ଚାହୁଁ ଚାହୁଁ,
ଚନ୍ଦ୍ରମୁହଁ ଦିଶିଲା ଆଗରେ,
ନଦୀ ଲଂଘିଲା କୂଳ,
ବିକଶିଲା ନୀଳ କମଳ,
ସରୋବର ହେଲ ପ୍ରଫୁଲ୍ଲ
ବିବିଧ କୁସୁମରେ ମଣ୍ଡି ହୋଇ
ସଜବାଜ ହେଲା ଦେହ,
ରତିରସେ ଅପରୂପ ବେଶରେ
ପ୍ରଦୀପ ପରି ଉଦେ ହେଲା ଯେବେ ହୃଦୟ ।

ଆନନ୍ଦ ରହିଲା ଭରି ଆଖିରେ,
କାନ ନେଲା ଦାୟିତ୍ଵ ଶୁଣିବାର,
ସର୍ବାଙ୍ଗ ଝାଳମୟ, ନିରେଖି ଦେଖିଲା ଜଗତ,
ଶତ୍ରୁ ସଂହାରି କେମିତି ହେବ ଚାଲିଲା ହିସାବ ।

ରୁହ କ୍ଷଣେ, ବିଶ୍ରାମ ନିଅ,
ହାତରେ ସମ୍ମାର୍ଜି ଦିଏଁ ପାଦ,
ଶ୍ରମ ହେବ ଲାଘବ,
ଝରାଇ ବଚନରେ ମଧୁ
କର ଆଲିଙ୍ଗନ ସେଥିରେ ଆଉ
ବିରହାନଳ ଶାନ୍ତ ହେଉ
ରସନା ଶବଦରେ ବିଷାଦ ଯାଉ ସବୁ,
ଆରମ୍ଭ ହେଉ ତିମିର ଯିବାର ଏଠାରୁ ।


16. ରସକେଳି

ଲୀଳାର ହେଲା ଆରମ୍ଭ,
ଉତ୍ସୁକତା ସହିତ ରତିରସରେ ।
ରହିଲା ନାହିଁ କିଛି ଲଜ୍ଜା ବିବେକ, ବଢିଲା କୁତୂହଳ,
କିଏ କାହାକୁ ଜିଣିବ, ଚାଲିଲା ବାଦିପାଲା,
ନାନା ପ୍ରକାରେ ହୃଦୟକୁ ହୃଦୟ ଯୋଡା ରାତିସାରା ।

କେଶବାସ ମାଳ ବିପର୍ଯ୍ୟସ୍ତ,
କୁଚହାର ଗଣ୍ଡକପୋଳ ଅସ୍ତବ୍ୟସ୍ତ,
ଶିଥିଳ ନେତ୍ରଭାବ, ରତ୍ନ କୁଣ୍ଡଳ,
ପୂର୍ଣଚନ୍ଦ୍ରେ ହେଲା କି ଅଙ୍କିତ କଳଙ୍କ ପୁଣି,
ସଜେଇ ଦେବାକୁ ହେବ ନାନାଦି ରୂପରଙ୍ଗରେ
ଆକାଶ ତାରା ମଣ୍ଡଳ ।

ଆଶ୍ରୟ କର ଆକାଶ
ସଭିଏଁ ଯେତେ ଅଛ
ଆଉ ହରଷରେ ଦେଖ,
ଅନୁଭବ କର କେଳିରସ
ସାନବଡ ପିଅ ପୀୟୁଷ
ପରଶୁଛି ମୁଁ ଗଜାନନ ମିଶ୍ର,
ଆଦେଶ ପାଇ ସେଇ
ଅବତରୀ ପୁରୁଷଙ୍କର ।

Friday, July 28, 2017
Topic(s) of this poem: truth
POET'S NOTES ABOUT THE POEM
It is a great love poem. Originally Geerta Govinda is written by Poet Jayadev of Odisha in sanskrit language. But this poem is unique in contemporary odia literature, though it is written after reading the original. But it is not the copy of the original, nor it is the translation one.
COMMENTS OF THE POEM
Gajanan Mishra 28 July 2017

Love is life, true love is nectar.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success