1.
ଯା ପଳା
କାଳୀୟରେ
ଯା ପଳା, ପତ୍ନୀ ପୁତ୍ର,
ବନ୍ଧୁବାନ୍ଧବ ଧରି
ଦୂରକୁ ରମ୍ୟକବନକୁ
ପଳା ଯା।
ଏଠି
ଏ ଜଳ ପବନ ଆକାଶ
ମାଟିକୁ ମୁକ୍ତି ଦେ,
ତୋ ବିଷର ଜ୍ୱାଳାରୁ।
କାଳୀୟରେ
ଯା ପଳା, ଏଠି
ଅଛନ୍ତି ଯେତେ
ପ୍ରତ୍ୟେକଙ୍କୁ ଯଥାଯୋଗ୍ୟ
ପରିଚୟ ଦେଇ
ରଖିବାର ସୁଯୋଗ
ଦେ ମତେ।
କାଳୀୟରେ
ଜାଣେ ମୁଁ
ତୋ ବିଷୟାବିଷ ସବୁ।
ଏ ସୃଷ୍ଟି ହୋଇ ନାଇଁ
ବିଷ ବୋଳି କରିବ
ଧ୍ବଂସ ଯେ କେହି।
ଅଛି ଏଠି ମୁଁ,
ଅଭୟ ଦେଇ
ରଖିବି ସଭିଙ୍କୁ।
ପବିତ୍ର ଏ ସ୍ଥାନ,
କାଳୀୟରେ,
ଅପବିତ୍ର କର ନା,
ପଳା ଯା,
ଯା ପଳା ଏଠୁ,
ସୁଯୋଗ ଦେ,
ସୁଯୋଗ ଦେ ଆହୁରି
ସୁନ୍ଦରକରି ଗଢିବାକୁ
ଏ ଧରାକୁ।
2.
କାଳୀୟ ଦଳନ
ସତରେ କଣ
ବିଷ ହୋଇଛି ଜଳ?
ସତରେ କଣ
ବିଷ କରିଛି କାଳୀୟ?
କାଳୀୟ ଆମ ଭିତରେ,
ଆଉ ଆମେ ଅପରାଧ
କରୁଛେ ସତ୍ୟରେ।
ମାୟା ମନୁଷ୍ୟ ଅବତାର
ଏ ମାଟିରେ।
ଦ୍ରୋହୀ ଆମେ ମାଟିରେ
ମା ପାଖରେ, ଭାଷାରେ,
କ୍ଷଣିକ ସୁଖ କୁ ଦେଖି
ଦେଉଛେ ବିକି ନିଜକୁ
କେଡେ ସହଜରେ
ଆଗପଛ ନ ବିଚାରି ଟିକିଏ।
କାଳୀୟ ଆମ ଭିତରେ,
ଏ କାଳୀୟ ଜଳରେ
କାଳୀୟ ଆମ ଭିତରେ,
ଏ କାଳୀୟ ଜଳରେ
ସ୍ଥଳରେ ଆକାଶରେ
ଭରୁଛି ବିଷ।
ଏ କାଳୀୟ ଯୋଗୁଁ
ଜାତି ଗୋତ୍ର ହଜି ହଜାଇ
ଆମେ ହେଉଛୁଁ ଶେଷ।
ଆମେ ମୋହଗତ,
ଆମ ଦେହେ ଆମେ
କରୁଛୁଁ ଆଘାତ।
ଆମ ଭିତରର ଅଗ୍ନିକୁ
ଆମେ ଉଦଗାରୁଛୁଁ,
କରୁଛୁଁ ସ୍ୱାର୍ଥର ନାଦ
ଫୁଫୁକାର।
ଆମେ ପାପକାରୀ,
ରଖିବ କିଏ ବା ଆମକୁ
ସତ୍ୟ ପଚାରି, ପଦ ନ ବିଚାରି,
ସ୍ୱର୍ଗଭୋଗକୁ ତୁଚ୍ଛ କରି!
ତଥାପି କହିବା କାଳୀୟରେ,
ଚାଲି ଯା ଏଠୁ, କର ନା ଡେରି।
ଭାଷା ଅମୃତ ଦେଇ
ଆନନ୍ଦେ ବଂଚିବାକୁ କହି
କହିବାକୁ ହେବ କାଳୀୟକୁ
ଯା ଛାଡି, ଛାଡି ଯା,
ଏଇ ଜାଗା ନୁହଁ ତୋରି।
This poem has not been translated into any other language yet.
I would like to translate this poem