1.
ଶବ୍ଦ ମାନେ ନିଆଁ,
ନିଆଁ ମାନେ ଜୀବନ,
ଜୀବନ ମାନେ ଦହଗଂଜ।
କୌଣସି ପାଣି କି ପବନର
ଶକ୍ତି ନାଇଁ ଦେବ ମୁକ୍ତି।
ଫୁଲର ଚାଙ୍ଗୁଡା ଧରି ତଥାପି
ଆସିଛ ତୁମେ, ଆସ,
ତୁମକୁ କରୁଛି ସ୍ୱାଗତ,
ଜାଣେ ଯଦିଓ କୋଉଠି
କେତେ ସତ।
ଜଣକର ସତ ଆରଜଣକର
ସତ କି ନୁହଁ ଜାଣିବା କଷ୍ଟ।
ତଥାପି ନାଇଁ ଆଶ୍ଚର୍ଯ୍ଯ
ମାପିବାକୁ ଯାଉଛ ଯଦି
ଅନ୍ଧାର ଭିତରର ସମୟ।
2.
କେମିତି ହସିବ?
ଶିଖାଇବାକୁ ଅଛି କିଏ?
ଯୁଗ ପରେ ଯୁଗ
ଚାଲିଛି ଏମିତି ଏଇଠି
କୋଉ ଯୁଗ କେତେ କଣ କଲା
ସଠିକ୍ କହିବା ମୁସ୍କିଲ,
କବି ତ କହିଦେଲେଣି
ଯୁଗକୁ ଯୁଗ ଏହିମତେ
ପରମାନନ୍ଦ ଏ ଜଗତେ।
ଜଗତ ବୋଇଲେ କଣ ଯେ!
ସ୍ୱାମୀ ପଚାରୁଛି ସ୍ତ୍ରୀକୁ,
ଆଉ ସ୍ତ୍ରୀ କହୁଛି ଲୁଣ ନାଇଁ ବୋଲି
ଘଣ୍ଟାଏ ହେଲାଣି କହିଲିଣି,
ଶୁଣି ପାରୁଛ କି ନାଇଁ
ଆଉ ଏଇଟା କହିଲେ ଶୁଣିବ,
ଗ୍ୟାରେଣ୍ଟି ନାଇଁ।
ଯ ଯ, ନାରଣ ଦୋକାନ
ଖୋଲା ଥିବ, ଲୁଣ ଆଣିଲେ
ଡାଲିରେ ପକାଇବି,
ନାଇଁ ତ କହିବ
ପାଟିକୁ ରୁଚୁ ନି।
This poem has not been translated into any other language yet.
I would like to translate this poem