ମୁଡତୁପୁ ମକାରୁ
ଗଜାନନ ମିଶ୍ର
ହଁ,
ମାନି ନେଉଛି
ମୁଡତୁପୁ ମକାରୁ
ମୋର ଦେବତା।
କବିମାନଙ୍କୁ ବି
କହି ରଖୁଛି
ମୁଡ ଅଛି ଯଦି
ଦିଅ ତୁପି।
ଆଉ ବଜାଅ
ଶଙ୍ଖ ଘଣ୍ଟ ଗିନି
ଶବ୍ଦରେ
କିଛି କୁହ ନି।
ଯାଇ ପାର
ଶବ୍ଦର ପାଖାପାଖି
କାହାକୁ ମନା ନାଇଁ।
କହିପାର ତୁମ କଥା
ବୁଲେଇବଙ୍କେଇ।
ଆଉ ରହୁଛି ଯଦି
ଅବ୍ୟକ୍ତ ଡାଏରୀରେ
ଲେଖିପାର ଛିନ୍ନମସ୍ତା
ହେଲ କେମିତି।
ଶୟନେ ସ୍ୱପନେ ଜାଗରଣେ
ନିଜ ଡେଣା ସଜାଇ ସଜାଇ
ମାପିପାର ଆକାଶ
ନିଜ ଫୁଙ୍ଗୁଳା ଦେହକୁ
ନଚାଇ ନଚାଇ।
ଗାଁକୁ ଗାଁ ଯିବାଲୋକ ତୁମେ
ଯାଯାବର
ଯାହାକୁ ନାଇଁ ଜଣା
ନିଜର ଇ ଗତିବିଧି
ଯିଏ ସଦାସର୍ବଦା
କାଟି ଚାଲିଛି
ନିଜର ସବୁକିଛି।
ଆଉ ଜଣ ଜଣକରି
କହିଚାଲିଛି କୋଉ
ଜମାନାରେ କିଏ ଅଛି
ମର୍ଦଙ୍ଗା ସାଗ ଖାଇ ଖାଇ।
ଏଇଠି ହତବାକ୍ କବି,
କଣ କହୁ କହୁ
କଣ କହିଦେଉଛି
କଣ ହେଉ ହେଉ
କଣ ଘଟିଯାଉଛି
କିଏ ଯାଉ ଯାଉ
କୋଉଠି ଲଟକି ରହୁଛି
ଉପକାର ଅପକାର ସବୁ ଭୁଲି।
ଏ ଦଲାଲ ଠିକାଦାର
ଲାଭଖୋର ଜୁଆଡି ଗଂଜୋଡଙ୍କର
ଭିତିରିଆ ଓଡଶ ମୂଷାଙ୍କର
କଳାକାରନାମାର
ହୁଏ ନା ଇତି।
ମୁଡତୁପୁ ମକାରୁ
ମୁଣ୍ଡଟେକି କହେ
ଆଉ ଯାହାଯେତେ
ଅଛି ଧୈର୍ଯ୍ୟ ଶୁଣିବ
କାହା ପାଖରେ!
ତପୋବନ, ଟିଟିଲାଗଡ, ବଲାଙ୍ଗୀର
11/01/2021
This poem has not been translated into any other language yet.
I would like to translate this poem