କେତେ କରିବି ଆକଟ,
କୋଉଠୁ ଆଣିବି ଦଉଡି
ଆଉ କେମିତି କେତେ
ଦଉଡିରେ ବାନ୍ଧିବି ପୁଅକୁ?
ମୁଁ କେଡେ ବୋକୀ?
ନାହିଁ କିଛି ମୋଠି ଆଉ
ଝାଳରେ ସମଗ୍ର ଶରୀର
ଗଲାଣି ଭିଜି,
ଅନ୍ଧାର ଦିଶିଲାଣି ଚୌଦିଗ।
ବାନ୍ଧିବାକୁ ଯାଉଛି କାହାକୁ?
କୋଉଠି ବାନ୍ଧୁଛି?
ବନ୍ଧନ ସହିତ
ଗଲାଣି ସିଏ ଆଉ
କେଉଁଆଡକୁ!
ବାଁକୁ ଛେକିଲେ ଡାଁକୁ,
ଆଗକୁ ଛେକିଲେ ପଛକୁ,
ଆଉ କୋଉଟା ଆଗ କୋଉଟା ପଛ
କୋଉଟା ବାଁ କୋଉଟା ଡାଁ
କୁଆଡେ କୁଆଡେ
ପଳେଇଲେଣି ୟା ସହିତ
ଦିଗବାଗ କୋଣଅନୁକୋଣସବୁ
ଆଉ ମୁଁ ଭକୁଆ ଛାଁକୁ ଛାଁ।
ଦୁଲଦାଲ ହୋଇ ପଡିଲାଣି
ଏତେବେଳକୁ ମୋରି
ଧୈର୍ଯ୍ୟର ଗଛ।
ନା, ଆଉ ପାରୁ ନି ସମ୍ଭାଳି,
ଯାହା ବି ହୋଇଯାଉ,
ମୋ ପୁଅର କିଛି ନ ହେଉ।
ମୋ ପୁଅକୁ ନ କରୁ ନଷ୍ଟ
କୌଣସି ଦିନେ
କୌଣସି ଐଶ୍ଵର୍ଯ୍ୟ,
କି ଟୋପାଏ ମଦ।
ମୋ ପୁଅ ମୋ ପାଇଁ ବଡ,
ମୋ ପାଇଁ ଅଜର ଅମର
ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ
କରିବ ଜୟ
ଶକ୍ତି ଅଛି ତାହାର।
ଯେ ଆକଟିଲେ ବି,
ଯେତେ ବାନ୍ଧିଲେ ବି,
ସେ କଣ ରହିବ!
ଯାଉ, ଯେଉଁଆଡେ ଯାଉଛି ଯାଉ,
ବାନ୍ଧିବି ନି, ଛେକିବିନି ଆଉ।
ଏ ସମଗ୍ର ଆକାଶର ମାଲିକ ସିଏ
ବୁଲୁ, ଘୂରୁ, ମନଇଚ୍ଛା ଉଡୁ, ବୁଡୁ,
ମୁଁ ପାରିବି ରୋକି କୋଉଠି!
ବଳେ କହିବ ସମୟ ଦେଖି
ମୁଁ ଏଠି, ଏଠି, ଏଠି।
ଏତେ ଭାବୁଛି!
ଥାଉ, ଅନ୍ଧାର ମାଡି ଆସୁଛି,
ଅବଶ ହୋଇଯାଉଛି ମୋର
ସର୍ବାଙ୍ଗ ଶରୀର,
ସବୁ ସବୁ ସ୍ଥିର ।
ଶବ୍ଦ
ଶବ୍ଦ ମତେ ରଖିଛି ତା ପାଲରେ,
ଆଉ ମୁଁ ଶବ୍ଦ ସହିତ ଖେଳି ଖେଳି
ମିଛସତ ବାଇଆ ଭୂତ।
ଶବ୍ଦ ଆସିଛି ଆକାଶରୁ, ଶୁଣିଛି।
ଆକାଶ ଆସିଛି ମନରୁ, ଶୁଣିଛି।
ସବୁ ଶୁଣାକଥାକୁ ବିଶ୍ୱାସ ନ ଯିବ
କହିଛନ୍ତି ବେଦ ଶାସ୍ତ୍ର ପୁରୁଣାଲୋକ।
ଅବଶ୍ୟ ଯାଇଛି ପୁରୁଣାକଟକ ବାଟେ
ରାଜଧାନୀ ବହୁତଥର।
କିନ୍ତୁ ପୁରୁଣାକଟକରେ କାହା ସହିତ
କେବେ ରଖି ନି ସଂପର୍କ
କି ହୋଇ ନି କଥାବାର୍ତା ବିଶେଷ।
ରାଜଧାନୀ - ମଥୁରାନଗରୀ,
ସେଠି କଂସର ରାଜୁତି ପହରରୁ ପହର।
ଯିବ କିଏ କେଉଁଆଡିକି?
ବିଶ୍ୱାସ କରିବ କାହାକୁ କେମିତି?
କଂସର ଚର ସବୁ, ନେଇଆଣ କହିଲେ
ମାରିବାକୁ ଲାଗେ ନି ବେଳ,
ସେଠି ଖାଲି ସ୍ୱାର୍ଥ, ହାଳହୁଳ,
ଭର୍ତି ସେଠି ଗୁଣ୍ଡାଗର୍ଦି ।
ଧରି ଖାଇବେ, ଦେବେ ନି ଧରା,
ସବୁ ଯାକ ମଣିଷମରା।
ମଣିଷ ପରା ଆଉ ନାହାନ୍ତି!
ମଣିଷ ଶବ୍ଦଟି ଖାଲି ପଡି ରହିଛି ଶୁଖିଲା।
ଆଉ ଏ ଶବ୍ଦକୁ ନେଇ ଚାଲିଛି ପରା
ଏତେସେତେ ଝାମେଲା ।
This poem has not been translated into any other language yet.
I would like to translate this poem
An excellent poem! I admire the contents.......10