ତଥାପି,
ସବୁ କିଛି ସତ୍ତ୍ୱେ ଚୁପଚାପ ଶୋଇ ପଡିବାର ଇଚ୍ଛା –
ଆଲାରମ୍ ଘଣ୍ଟାର ଉଚ୍ଚକିତ ଆବେଗପୂର୍ଣ୍ଣ ପ୍ରହସନ
ଶଯ୍ୟା ସଙ୍ଗିନୀର କଟାକ୍ଷ କ୍ଷଣ କ୍ଷଣ କର ସଂଚାଳନ
ଅମାନିଆ କାଉଟାର ହତାଶିଆ ରାଉ ରାଉ ପ୍ରବଚନ –
ଏ ସବୁ ସତ୍ତ୍ୱେ ଆଖି ବୁଜି ଘୋଡି ହୋଇ ପଡିବାର ଇଚ୍ଛା ।
ତଥାପି କାହିଁକି କେଜାଣି ହାରି ଯିବାର ଭୟ –
ସାଇତା ସାର୍ଟିଫିକେଟ୍ ଗୁଡାକର ଚିରନ୍ତନ ଆଶ୍ୱାସନା
ରୁଣ୍ ଝୁଣ୍ ମେଡାଲ୍ ଗୁଡା ବାର ବାର ଦେଖାଇ ହେବାର ବାସନା
ଆଇନା ସମ୍ନାରେ ଟା’ଇ ଭିଡି ପାନିଆର ସନ୍ତର୍ପଣ ଚାଳନା –
ତଥାପି କେମିତି କେମିତି ବିଚ୍ ରାସ୍ତାରେ ଭାଙ୍ଗି ପଡିବାର ଭୟ ।
ହେଲେବି ସବୁ କିଛି ହସି ସହି ଯିବାର ସଂକଳ୍ପ –
ନକଲି ଦାନ୍ତର ସେଟ୍, ଚଷମା ଫ୍ରେମର ଶୃଂଖଳ
ପ୍ରିୟାର ପ୍ରତାରଣା, ଛକା ପଂଝା, ବାଘ ଛେଳି ଖେଳ
ଟି.ଭି.ର ବିତର୍କ, ସମ୍ମିଳନୀ, ପାର୍ଲାମେଣ୍ଟର ହଟ୍ଟଗୋଳ –
ହେଲେବି ଦୁଇ ଦିନ ଏଇମିତି ଜୀଁଇ ଯିବାର ସଂକଳ୍ପ ।
- - o- -
This poem has not been translated into any other language yet.
I would like to translate this poem