ନୃତ୍ୟରତା ପାଷାଣୀ ନାୟିକା — ପ୍ରେମର କଲିଗ୍ରାଫି Poem by Susanta Pattnayak

ନୃତ୍ୟରତା ପାଷାଣୀ ନାୟିକା — ପ୍ରେମର କଲିଗ୍ରାଫି

ନୃତ୍ୟରତା ପାଷାଣ ନାୟିକା — ପ୍ରେମର କଲିଗ୍ରାଫି
ନୃତ୍ୟରତା ପାଷାଣୀ ନାୟିକା — ପ୍ରେମର କଲିଗ୍ରାଫି

ନିହାଣର ମୃଦୁ କମ୍ପନ,
ପଥର ଉପରେ ନିଶ୍ୱାସ ର ଏକ କୋମଳ  ସ୍ପର୍ଶ,
ପ୍ରତିଟି ଉଷା ର ପ୍ରଥମ କିରଣରେ ଜୀବନ୍ତ ହୁଏ
ଶିଳ୍ପୀର ସେ ପ୍ରସ୍ଥର ଦେହରେ ରଚ଼ିତ କାବ୍ୟ ।

ନିରବତାର ଲଳିତ ବଙ୍କିମ ଭଙ୍ଗୀରେ,
ଧନୁରାକାର ଭ୍ରୁଲତା,
ଆଖିରେ ଜିଜ୍ଞାସାର ଦୀପ୍ତି,
ଓଠରେ ଅସମାପ୍ତ ପ୍ରାର୍ଥନା।

ଛନ୍ଦମୟ ବେନି ବାହୁ,
ଅନନ୍ତ ଭାରାକ୍ରାନ୍ତ ନିତମ୍ବ,
ପାଦରେ ମୃଦୁ ମଳୟର ଝଙ୍କାର,
ଅଙ୍ଗେ ଅଙ୍ଗେ ଆଲୋକର ବର୍ଣ୍ଣିଳ ଆଭା।

ସେ ଦଣ୍ଡାୟମାନ ତଥାପି ନୃତ୍ୟମୟ,
ସେ ସ୍ଥିର ତଥାପି ପ୍ରବାହମୟ,
ସେ ପ୍ରସ୍ଥର ତଥାପି ସଜୀବ,
ସେ ଶରୀର ତଥାପି ବ୍ରହ୍ମାଣ୍ଡ ପରି ପରିବ୍ୟାପ୍ତ ।

ତା ପରଶ ବହେ ଇତିହାସର ଗାଥା
ତା ଦୃଷ୍ଟି ପ୍ରଗଳ୍ଭ କରି ନିଏ ମନ
ତା ଦର୍ଶନ, ଜୀବନ କାଳର
ଏକ ଦୁର୍ମୁଲ୍ୟ ସ୍ମୃତି ।

ସ୍ରଷ୍ଟା ଚାଲିଯାଇଛନ୍ତି
ସୃଷ୍ଟି  ତଥାପି ଜୀବନ୍ତ ହୋଇ ରହିଛି—
ପ୍ରେମର କଲିଗ୍ରାଫି,
ମୋ ମନ ର ସୁକ୍ଷ୍ମତମ କୋଣରେ
ଲିପିବଦ୍ଧ ହୋଇ ରହିଛି ।


©️ ସୁଶାନ୍ତ ପଟ୍ଟନାୟକ

POET'S NOTES ABOUT THE POEM
Inspired by the timeless grace of a temple dancer carved in stone, this poem reflects on the mysterious dialogue between the sculptor's vanished hand and the living memory of the beholder. It is an ekphrastic meditation on beauty, time, and love—where art survives its creator and continues to breathe through silence.
COMMENTS OF THE POEM
READ THIS POEM IN OTHER LANGUAGES
Susanta Pattnayak

Susanta Pattnayak

Bhubaneswar, India
Close
Error Success